ମୁମ୍ଵାଇ ୨୦।୧୦; ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା। ବର୍ତ୍ତମାନ ସେ ବିବାଦ ଘେରକୁ ଆସିଛନ୍ତି। ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକି ଥିବାର ଅଭିଯୋଗ ହୋଇଛି। ରେମୋ ଓ ଲିଜେଲଙ୍କ ବ୍ୟତୀତ ଅନ୍ୟ ୫ଜଣକ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡିଛି।
ଏନେଇ ୨୬ବର୍ଷ ବୟସ୍କ ନୃତ୍ୟଶିଳ୍ପୀ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁହାଯାଉଛି ଯେ, ଅକ୍ଟୋବର ୧୬ରେ ରେମୋ, ଲିଜେଲ ଏବଂ ଅନ୍ୟ ପାଞ୍ଚଜଣଙ୍କ ବିରୋଧରେ ପୋଲିସ୍ ଷ୍ଟେସନରେ ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ଏବଂ ତାଙ୍କ ସହଯୋଗୀମାନେ ୨୦୧୮ରୁ ୨୦୨୪ପର୍ଯ୍ୟନ୍ତ ପ୍ରତାରିତ ହୋଇଥିବା ଅଭିଯୋଗ ହୋଇଛି।
ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏକ ଟିଭି ସୋ’ରେ ଅଭିଯୋଗ କରିଥିବା ଡ୍ୟାନ୍ସ ଟ୍ରୁପ୍ ପ୍ରଦର୍ଶନ କରିଥିଲା ଏବଂ ଜିତିଥିଲା । ଜିତିବା ପରେ ପୁରସ୍କାର ରାଶି ଭାବରେ ସେମାନଙ୍କୁ ୧୧.୯୬ କୋଟି ଟଙ୍କା ମିଳିଥିଲା। ଏହି ଟଙ୍କାକୁ ରେମୋ, ଲିଜେଲ ଓ ଅନ୍ୟ ୫ଜଣ ଅଭିଯୁକ୍ତ ହଡ଼ପ କରିନେଇଥିଲେ ବୋଲି ଜଣାଯାଇଛି।